କଟକ: କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଯାତ୍ରା ମଞ୍ଚରେ କାଠ କଣ୍ଢେଇ ପରି ବ୍ୟବହାର କରି ଅଡ଼ୁଆରେ ପଡ଼ିଛନ୍ତି ଯାତ୍ରା ଅଭିନେତା କାହ୍ନା ସ୍ୱାଇଁ । ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅଭିଷେକ ଦାସ ନାମକ ଜଣେ ବ୍ୟକ୍ତି ।
ଯାତ୍ରା ସିଂହବାହିନୀର ନାଟକ ‘ବଡ଼ ବେଦରଦୀ କଳା ସାଆନ୍ତ’ରେ କଳାକାର କାହ୍ନା ସ୍ୱାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ନାଟକରେ ଅଭିନେତା କାହ୍ନା ସ୍ୱାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦେହରୁ ଫୁଲ ମାଳ ଫୋପାଡ଼ି କାନ୍ଧରେ କାନ୍ଧେଇ ନେବା ତ ଆଉ କେଉଁଠି ଜଗନ୍ନାଥଙ୍କୁ ତଳେ ଶୁଆଇ କପଡ଼ାରେ ବାନ୍ଧିକି ନେବା ଭଳି କିଛି ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା । ଯାହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଓଡ଼ିଶାର କୋଟି କୋଟି ଭକ୍ତଙ୍କ ହୃଦୟକୁ ଏହା ଶକ୍ତ ଆଘାତ ଦେଇଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଏହା ଘୋର ଅପମାନ ବୋଲି ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ ପାଇଛି । ଯାହା ପରେ ବିବାଦ ଜୋର ଧରିଛି ।
ଏ ନେଇ ଅଭିଷେକ ଦାସ ବାଦାମବାଡ଼ି ଥାନାରେ ଯାତ୍ରା କଳାକାର କାହ୍ନାଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଆଚରଣ ପାଇଁ ତାଙ୍କୁ ଦଣ୍ଡ ମିଳିବା ଦରକାର ଏବଂ ସେ ଆଗକୁ ଯେଭଳି ଏମିତି ଭୁଲ୍ ନକରିବେ ସେନେଇ ଏତଲାରେ ଉଲ୍ଲେଖ କରିଛନ୍ତି ଅଭିଯୋଗକାରୀ ।
ଅନ୍ୟପଟେ ପୁଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି । ଯଦି କିଛି ପ୍ରମାଣ ପୁଲିସର ହସ୍ତଗତ ହୁଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି ।