ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି । ଅପରପକ୍ଷେ ଦେଶରେ ରହିଥିବା ପାକିସ୍ତାନୀ ସ୍ଲିପର୍ ସେଲଙ୍କୁ ମଧ୍ୟ ଗୋଟି ଗୋଟି କରି ଧରାଯାଉଛି । ଯେଉଁମାନେ କିଛିଟା ଟଙ୍କା ପାଇଁ ଦେଶର ସୁରକ୍ଷା ସମ୍ବନ୍ଧୀୟ ଗୁପ୍ତ ସୂଚନା ପଡ଼ୋଶୀ ଶତ୍ରୁକୁ ଦେଉଥିଲେ । ପାକିସ୍ତାନୀ ପାଇଁ ଗୁପ୍ତଚରୀ କରିବା ଅଭିଯୋଗରେ ୬ ଜଣ ଗିରଫ ହୋଇଥିବାବେଳେ ପୁଣି ଜଣଙ୍କୁ ଧରିଛି ଆତଙ୍କବାଦୀ ବିରୋଧୀ ସ୍କ୍ୱାର୍ଡ (ଏଟିଏସ୍) । ଉତ୍ତର ପ୍ରଦେଶ ରାମପୁର ଜିଲ୍ଲା ନିବାସୀ ବ୍ୟବସାୟୀ ଶେହଜାଦକୁ ଗିରଫ କରାଯାଇଛି । ସେ ପାକିସ୍ତାନ ଆଇଏସଆଇକୁ ଭାରତ ସମ୍ବନ୍ଧରେ ଗୁପ୍ତ ସୂଚନା ଦେଉଥିବା ୟୁପି ପୋଲିସ ସ୍ପେଶାଲ୍ ଟାସ୍କ ଫୋର୍ସ କହିଛି । ଏହାକୁ ମିଶାଇ ଏହି ଗିରଫଦାରୀ ସଂଖ୍ୟା ୭ରେ ପହଁଚିଛି ।
ପ୍ରାପ୍ତ ସୂଚନା ଅନୁସାରେ, ଜେରା ସମୟରେ ଜଣାପଡ଼ିଛି ଯେ ଶେହଜାଦ ବିଭିନ୍ନ ସମୟରେ ଏକାଧିକବାର ପାକିସ୍ତାନ ଗସ୍ତ କରିଛନ୍ତି । ବେଆଇନଭାବେ ସୀମା ଦେଇ ସେ କସମେଟିକ୍, କପଡ଼ା, ମସଲା ଏବଂ ଅନ୍ୟ ସାମଗ୍ରୀ ବ୍ୟବସାୟ କରୁଥିଲେ । ବ୍ୟବସାୟୀ ନାଁରେ ସେ ପାକିସ୍ତାନୀ ଆଇଏସ୍ଆଇକୁ ଭାରତୀୟ ସିମ୍ କାର୍ଡ ଏବଂ ଟଙ୍କା ଯୋଗାଉଥିଲେ । ଏହା ସହିତ ରାମପୁର ଜିଲ୍ଲା ଓ ଅନ୍ୟ ସ୍ଥାନରୁ ଲୋକଙ୍କୁ ପାକିସ୍ତାନକୁ ପଠାଉଥିଲେ, ଯେଉଁମାନେ ଆଇଏସ୍ଆଇ ପାଇଁ କାମ କରୁଥିଲେ । ଆଇଏସ୍ଆଇ ସେମାନଙ୍କୁ ପାକିସ୍ତାନୀ ଭିସା ଯୋଗାଡ଼ କରୁଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପାକିସ୍ତାନୀ ଗୁପ୍ତଚରଭାବରେ କାମ କରୁଥିବା ୬ ଜଣଙ୍କୁ ଏଯାବତ୍ ଗିରଫ କରାଯାଇ ସାରିଛି । ଯେଉଁଥିରେ ହରିୟାଣା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରା ସାମିଲ ଅଛନ୍ତି । ସେ ପାକିସ୍ତାନ ହାଇକମିଶନ ପାଇଁ କାମ କରୁଥିଲେ । ଦେଶର ଥିବା ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ବିଷୟରେ ସେ ତଥ୍ୟ ଯୋଗାଉଥିଲେ ଏବଂ ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମିଳୁଥିଲା । ସେ ଗତବର୍ଷ ପାକିସ୍ତାନ ଭ୍ରମଣରେ ଯାଇଥିଲେ । ଯାହାର ଏକାଧିକ ଭିଡ଼ିଓ ସେ ତାଙ୍କର ଚ୍ୟାନେଲ୍ ‘ଟ୍ରାଭେଲ୍ ୱିଥ୍ ଜୋ’ (TravelWithJo)ରେ ପୋଷ୍ଟ କରିଛନ୍ତି ।