କୋଲକାତା: କ୍ଷମତାରୁ ଯିବା ପରେ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ଝଟକା । ଟିଏମସି ନେତା ରିତବ୍ରତ ବାନାର୍ଜୀ ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି । ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ବିଜୟୀ ୮୦ ବିଧାୟକଙ୍କ ମଧ୍ୟରୁ ୫୮ବିଧାୟକ ରିତବ୍ରତଙ୍କ ସପକ୍ଷରେ ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି । ଏହି ପ୍ରସ୍ତାବ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ଗ୍ରହଣ କରିଛନ୍ତି ।
ଆଜି ଟିଏମସିର ବିଦ୍ରୋହୀ ବିଧାୟକମାନେ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା କରିଛନ୍ତି । ୫୮ ଜଣ ବିଧାୟକ ରିତବ୍ରତଙ୍କୁ ସମର୍ଥନ କରିଥିବାବେଳେ ଆଉ ଦୁଇ ଜଣ ରାଜ୍ୟ ବାହାରେ ଥିବାରୁ ପରବର୍ତ୍ତୀ ସମୟରେ ଯୋଗ ଦେବେ । ଅର୍ଥାତ ମୋଟ ୬୦ ଜଣ ବିଧାୟକ ମମତାଙ୍କ ବିରୁଦ୍ଧରେ ଯାଇ ରିତବ୍ରତଙ୍କୁ ସମର୍ଥନ କରିଛନ୍ତି । ବାଚସ୍ପତି ମଧ୍ୟ ନୂତନ ପ୍ରସ୍ତାବକୁ ଗୃହୀତ କରିଛନ୍ତି । ଏହା ନିଜେ ରିତବ୍ରତ ବାନାର୍ଜୀ କହିଛନ୍ତି ।
ଖାଲି ସେତିକି ନୁହେଁ ଅଖରୁଜମାନ ବିରୋଧୀ ଦଳ ମୁଖ୍ୟ ସଚେତକଭାବେ ନିଯୁକ୍ତ ହୋଇଥିବାବେଳେ ଜାଭେଦ ଅହମ୍ମଦ ଖାନ, ସନ୍ଦୀପନ ସାହା, ସବୀନା ୟେସିନ ଏବଂ ଶିଉଲି ସାହା ଉପ ନେତା ଭାବେ ଚୟନ ହୋଇଛନ୍ତି । ଏହି ପ୍ରସ୍ତାବ ମଧ୍ୟ ବାଚସ୍ପତିଙ୍କ ନିକଟରେ ଦାଖଲ ହୋଇସାରିଛି ।
ସଂଗଠନ ଭିତରେ ଚାଲିଥିବା ବିଦ୍ରୋହ ସତ୍ତ୍ୱେ ବିଧାୟକ ଦଳକୁ ମାର୍ଗଦର୍ଶନ ଜାରି ରଖିବାକୁ ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ବିଦ୍ରୋହୀ ଟିଏମସି ନେତା ରିତବ୍ରତ ଆହ୍ୱାନ କରିଛନ୍ତି । ସେ ମମତାଙ୍କୁ ବିଧାୟକ ଦଳର ମୁଖ୍ୟ ପରାମର୍ଶଦାତା ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ।