ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପାହାଳ ଥାନା ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭୀମପୁର କେନାଲ ପଠାରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଓ ଆତଙ୍କ ଖେଳିଯାଇଛି। ମୃତ ଯୁବକ ହେଲେ ଅନନ୍ତପୁର ଗ୍ରାମର ପ୍ରଭାତ ବେହେରା।
ସକାଳେ ସ୍ଥାନୀୟ ଲୋକେ କେନାଲ ପଠାରେ ପ୍ରଭାତଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା। ପ୍ରଭାତଙ୍କ ମୁଣ୍ଡ ଓ ମୁହଁରେ ଏକାଧିକ ଗଭୀର କ୍ଷତଚିହ୍ନ ଥିବାରୁ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତଦେହ ନିକଟରେ ଏକ ପ୍ଲାଷ୍ଟିକ ପାଇପ ଓ ଭଙ୍ଗା ମଦ ବୋତଲ ପଡ଼ିଥିବାବେଳେ କିଛି ଦୂରରେ ତାଙ୍କ ସ୍କୁଟି ମଧ୍ୟ ଜବତ ହୋଇଛି।
ଘଟଣାକୁ ଆହୁରି ରହସ୍ୟମୟ କରିଛି ପରିବାରର ଅଭିଯୋଗ। ପ୍ରଭାତଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ବାଲି ବ୍ୟବସାୟୀ ଟେନିସ ପାତ୍ର ପ୍ରଭାତଙ୍କୁ ଘରୁ ଡାକି ନେଇଥିଲେ। ପରେ ତାଙ୍କୁ ମଦ ପିଆଇ ହତ୍ୟା କରାଯାଇଥିବା ନେଇ ସେମାନେ ସିଧାସଳଖ ଅଭିଯୋଗ ଆଣିଛନ୍ତି।
ଖବର ପାଇ ପାହାଳ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାର ପ୍ରକୃତ କାରଣ କଣ ଏବଂ ଏହା ପଛରେ କିଏ ରହିଛି, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ଏହି ହତ୍ୟାକାଣ୍ଡ ଏବେ ପାହାଳ ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।