ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାରେ ୨୬ ଜଣ ମାଓବାଦୀ ବୁଧବାର ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ମାଓବାଦୀମାନେ ସୁକମା ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ୨୬ ଜଣ ନକ୍ସଲଙ୍କ ମଧ୍ୟରୁ ୧୩ ଜଣଙ୍କ ଉପରେ ୬୫ ଲକ୍ଷର ପୁରସ୍କାର ଥିଲା। ଏ ନେଇ ସୁକମା ପୋଲିସ ଅଧିକ୍ଷକ କିରଣ ଚୌହ୍ୱାନ ସୂଚନା ପ୍ରଦାନ କରିଛନ୍ତି ।
ଏସପି କିରଣ ଚୌହ୍ୱାନଙ୍କ ସୂଚନା ମୁତାବକ, ୨୬ ଜଣ ମାଓବାଦୀଙ୍କ ମଧ୍ୟରେ ସାତ ଜଣ ମହିଳା ଅଛନ୍ତି । ସେମାନେ "ପୁଣେ ମାର୍ଗେମ" ଯୋଜନା ଅଧୀନରେ ସାଧାରଣ ଜୀବନକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ଏମାନେ ପିପୁଲ୍ସ ଲିବରେସନ ଗରିଲା ଆର୍ମି (ପିଏଲଜିଏ) ବାଟାଲିୟନ, ଦକ୍ଷିଣ ବସ୍ତର ଡିଭିଜନର ମାଓ ସଂଗଠନ, ମାଡ୍ ଡିଭିଜନ ଏବଂ ଆନ୍ଧ୍ର-ଓଡିଶା ସୀମାନ୍ତ ଡିଭିଜନରେ ସକ୍ରିୟ ଥିଲେ। ଏହି ନକ୍ସଲମାନେ ଛତିଶଗଡ଼ର ଅଭୁଜମାଡ, ସୁକମା ଏବଂ ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଅନେକ ହିଂସା ଘଟଣାରେ ଜଡିତ ଥିଲେ।
ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ସଦସ୍ୟ ଲାଲି ଓରଫ ମୁଚାକି ଆୟତେ ଲଖମୁ (୩୫) ରହିଛି । ଲାଲି ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଲାଲି ଅନେକ ବଡ଼ ହିଂସା ଘଟଣାରେ ସମ୍ପୃକ୍ତ ଥିଲା । ୨୦୧୭ ମସିହାରେ କୋରାପୁଟ ଜିଲ୍ଲାରେ ଏକ ଗାଡ଼ିକୁ ଟାର୍ଗେଟ କରି ହୋଇଥିବା ଆଇଇଡି ବିସ୍ଫୋରଣରେ ସମ୍ପୃକ୍ତ ଥିଲା । ଯେଉଁଥିରେ ୧୪ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା।
ଅନ୍ୟ ଚାରି ଜଣ ପ୍ରମୁଖ ନକ୍ସଲ ହେଲେ ହେମଲା ଲଖମା (୪୧), ଅସ୍ମିତା ଓରଫ କମଲୁ ସନି (୨୦), ରାମବତୀ ଓରଫ ପଦମ ଜୋଗି (୨୧) ଏବଂ ସୁନ୍ଦରମ୍ ପାଲେ (୨୦) ଅନ୍ତର୍ଭୁକ୍ତ । ଏହି ଚାରି ଜଣ ନକ୍ସଲଙ୍କ ଉପରେ ମୋଟ ୮ ଲକ୍ଷ ପୁରସ୍କାର ଥିଲା। ହେମଲା ଲଖମା ୨୦୨୦ ମସିହାରେ ସୁକମାର ମିନପାରେ ହୋଇଥିବା ଆକ୍ରମଣରେ ସାମିଲ ଥିଲା, ଯେଉଁଥିରେ ୧୭ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା।
ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି ଏବଂ ସରକାରୀ ନୀତି ଅନୁଯାୟୀ ସେମାନଙ୍କୁ ପୁନର୍ବାସ କରାଯିବ। ଅବଶିଷ୍ଟ ମାଓ ସଂଗଠନ ସହିତ ଜଡିତ ସମସ୍ତ ଲୋକଙ୍କୁ ହିଂସା ପରିତ୍ୟାଗ କରିବାକୁ ଆହ୍ୱାନ କରାଯାଇଛି । ସେମାନଙ୍କୁ ସୁରକ୍ଷା ଏବଂ ସମ୍ମାନଜନକ ଜୀବନ ପ୍ରଦାନ କରିବାର ଆଶ୍ୱାସନା ଦେଇଛନ୍ତି ଏସପି ।